![]() |
| pic Source Google |
TGI NEWS:ଆମ ରାଜ୍ୟରେ ମହିଳା କେତେ ସୁରକ୍ଷିତ? ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ କହୁଛି, ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡିଶା, ଦେଶରେ ତୃତୀୟ । ଦିନକୁ ଦିନ ବୃଦ୍ଧି ପାଉଛି, ମହିଳାଙ୍କ ପ୍ରତି ଅତ୍ୟାଚାର । ଯୌନ ଶୋଷଣ, ଦୁଷ୍କର୍ମ, ଅସଦାଚରଣ ଏବଂ ଯୌତୁକ ନିର୍ଯାତନା ଭଳି ମାମଲା ବଢି ଚାଲିଛି । ତେବେ ଫିଲ୍ମରେ ଅଶ୍ଲୀଳତା ଏଥିପାଇଁ ଏକ କାରଣ କି? ଆପତ୍ତିିଜନକ ଡାଏଲଗ୍, ଅଶ୍ଳୀଳ ଆଇଟମ୍ ନମ୍ବର ଏବଂ ମାତ୍ରାଧିକ ଉତ୍ତେଜକ ଦୃଶ୍ୟ ସମାଜରେ ମହିଳାଙ୍କ ପ୍ରତି ହିଂସା ବଢାଇବାରେ ସହାୟତା କରୁଛି କି? ମହିଳାଙ୍କ ପ୍ରତି ହିଂସା ରୋକିବାରେ ଚଳଚିତ୍ର ଭୂମିକା କଣ ରହିବା ଉଚିତ? ବିନା ଆଇଟମ୍ ନମ୍ବରରେ ଆଉ ପୁରା ହେଉନି ଫିଲ୍ମ । ରିମିକ୍ସ ଗୀତର ତାଳେ ତାଳେ ଅଶ୍ଳୀଳ ନୃତ୍ୟ । ମହିଳାଙ୍କ ଦେହରେ ଛୋଟ ଡ୍ରେସ, ତା ସାଙ୍ଗକୁ ଆପତ୍ତିଜନକ ଦୃଶ୍ୟ । ମନୋରଂଜନ ନାଁରେ ଏଠି ଯେପରି ବସ୍ତୁ ସାଜିଛନ୍ତି ମହିଳା ।
ମହିଳା ବିରୋଧୀ ହିଂସାରେ ଓଡିଶାର୍ ସ୍ଥାନ ତୃତୀୟ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ-ଏନ୍ସିଆରବିର ରିପୋର୍ଟ ଅନୁସାରେ ,୨୦୧୬ରେ ଓଡିଶାରେ ୧୮୯୯ଟି ବଳାକ୍ରାର ମାମଲା ପଂଜିକୃତ ହୋଇଛି । ସେହିପରି ୯୭୯ ଟି ଯୌନ ନିର୍ଯାତନା ମାମଲା ରୁଜୁ ହୋଇଛି । ମହିଳାଙ୍କ ସମ୍ମାନହାନୀ ହେବା ନେଇ ୪୮୬୪ ଟି ଅଭିଯୋଗ ହୋଇଛି । ଏଥିସହ ୨୧୦୭ଟି ଅସଦାଚରଣ ଏବଂ ୧୪ଶହ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି । ଯାହା ସ୍ପଷ୍ଟ କରୁଛି, ଆମ ରାଜ୍ୟରେ ମହିଳାଙ୍କ ପ୍ରତି ହିଂସା ଉଦବେଗଜନକ ଭାବେ ବୃଦ୍ଧି ପାଇଛି ।
ସିନେମା ପରଦାରେ କେଉଁଠି ଦୁଷ୍କର୍ମ ତ ଆଉ କେଉଁଠି ମହିଳାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା । ତେବେ ଏଭଳି ବି କିଛି ଫିଲ୍ମ ରହିଛି ଯାହା, ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ମନୋରଂଜନ ସହ ଫିଲ୍ମରେ ରହିଛି ସାମାଜିକ ବାର୍ତ୍ତା । ସମାଜରେ ଭରି ରହିଥିବା ଅନ୍ଧବିଶ୍ୱାସ, କୁସଂସ୍କାର ଓ ବର୍ଷ ବର୍ଷର ସମସ୍ୟାକୁ ସାମ୍ନାକୁ ଆଣିପାରିଛି ଏସବୁ ଫିଲ୍ମ । ଏଥିସହ କାହାଣୀ ଏବଂ ଅଭିନେତା-ଅଭିନେତ୍ରୀଙ୍କ ବଳିଷ୍ଠ ଅଭିନୟ ଲୋକଙ୍କୁ ପ୍ରେରଣା ଯୋଗାଇଛି ।
ମହିଳା ସଶକ୍ତୀକରଣରେ ଓଡିଶା ଅଗ୍ରଣୀ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ଅପରପକ୍ଷରେ ମହିଳାଙ୍କ ପ୍ରତି ହିଂସାରେ ଓଡିଶାର କୁଖ୍ୟାତି ଜାତୀୟ ସ୍ତରରେ ଚର୍ଚ୍ଚିତ । ଯେଉଁଥିରେ ଫିଲ୍ମରେ ଅଶ୍ଲୀଳତାର ଏକ ବଡ ଭୂମିକା ରହିଛି କହିଲେ ଭୁଲ ହେବନି ।

No comments:
Post a Comment